Hero Image

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ , ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ

ଫୁଲବାଣୀ : ଜନୈକା ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାର ଆଜି ଏଡ଼ିଜେ ତଥା ପୋଷ୍କ କୋର୍ଟର ବିଚାରପତି ସଂଜିତ୍ କୁମାର ବେହେରାଙ୍କ ଇଜିଲାସରେ ଅନୁଷ୍ଠିତ ହୋଇଥିବା ବେଳେ ୧୨ ଜଣ ସାକ୍ଷୀ ପ୍ରମାଣକୁ ଭିତିକରି ଭଅିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡାଦେଶ ସହିତ ୨୩ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ଅଧିକା ୨ ବର୍ଷ ୩ ମାସ କାରାଦଣ୍ଡପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୁକ୍ତ ଜଣକ ହେଲେ ଚକାପାଦ ବ୍ଳକ ଲାଇନପଡ଼ା ବରସାହିର ବବୁଲୁ ନାୟକ (୨୭) ବର୍ଷ।

ଏଥି ସହିତ ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ ମଧ୍ୟ ବିଚାରପତି ତାଙ୍କ ରାୟରେ ଶୁଣାଇଥିବା ନେଇ ସୂଚନା ଦେଇଛନ୍ତି ପୋଷ୍କକୋର୍ଟର ସ୍ୱତନ୍ତ୍ର ପି.ପି ଅସିମ କୁମାର ପ୍ରହରାଜ।
ସୂଚନା ପ୍ରକାରେ , ଗତ ୨୦୨୧ ମସିହାରେ ଅଭିଯୁକ୍ତ ଜଣକ ଫିରିଙ୍ଗିଆ ଅଞ୍ଚଳରେ ଏକ ମନ୍ଦିରରେ ମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ସେହି ଅଞ୍ଚଳର ଜନୈକା ନାବାଳିକା ଜଣକ ସେଠାରେ ମୂଲିଆ ଭାବେ କାମ କରୁଥିଲେ। ତେବେ ଏହି ସମୟ ମଧ୍ୟରେ ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ତାଙ୍କର ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶୃତି ଦେବା ସହିତ ବିଭିନ୍ନ ପ୍ରକାର ପ୍ରୋଲଭନ ଦେଖାଇ ବିଭିନ୍ନ ସମୟରେ ପାଖ ଜଙ୍ଗଲରେ ଏକାଧିକ ଥର ଶାରୀରିକ ସଂପର୍କ ରଖିଥିବା ନେଇ ଅଭିଯୋଗ ହୋଇଥିଲା।

ଗତ ୨୦୨୧ ମସିହା ଜୁନ୍ ୨୬ ତାରିଖ ଦିନ ଅଭିଯୁକ୍ତ ଜଣକ ମଧ୍ୟାହ୍ନ ସମୟରେ ବିଭିନ୍ନ ପ୍ରକାର ଧମକ ଚମକ ଦେଇ ନାବାଳିକାକୁ ଏକ ସ୍ଥାନକୁ ଡ଼ାକିବା ସହିତ ଜୋର ଜବରଦସ୍ତ ଏକ ଅଟୋ ଦ୍ୱାରା ନିଜ ଗ୍ରାମ ବସାହିକୁ ନେଇ ଆସିଥିଲା। ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଗତ ୨୮.୬.୨୦୨୧ ତାରିଖରେ ଫିରିଙ୍ଗିଆ ଥାନାରେ ଏକ ଏତଲା ଦେଇଥିଲେ। ଏତଲା ପ୍ରକାରେ ପୁଲିସ୍ କେସ ନଂ ୭୧/୨୧ରେ ଏକ ମାମଲା ରୁଜୁକରି ଉକ୍ତ ଦିନ ହିଁ ନାବାଳିକା ପିଡ଼ିତାଙ୍କୁ ଉଦ୍ଧାର ସହିତ ଅଭିଯୁକ୍ତ ମିସ୍ତ୍ରୀ ବବୁଲୁ ନାୟକକୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ଆଜି ଏହି ମାମଲାର ବିଚାର କରାଯାଇ ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି।

READ ON APP